ଉଦିତ ନଗର ଫୁଟ୍‌ କୋର୍ଟର ସମସ୍ତ ଦୋକାନୀଙ୍କୁ ସାତ ଦିନ ମଧ୍ୟରେ ସ୍ଥାନ ଖାଲି ପାଇଁ ଘୋଷଣା

1 min read
Spread the love

ରାଉରକେଲା ସହରର ମହାନଗର ନିଗମ କାର୍ଯ୍ୟାଲୟ ନିକଟରେ ଗତ ପ୍ରାୟ ୬ମାସ ଧରି ଚାଲିଥିଲା ଫୁଡ୍‌ କୋର୍ଟ। ହଠାତ୍‌ ଶନିବାର ଦିନ ନଗର ନିଗମ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଏହି ଫୁଡ୍‌ କୋର୍ଟରେ ଥିବା ସମସ୍ତ ଦୋକାନୀମାନେ ସ୍ଥାନ ଖାଲି କରିବା ପାଇଁ ଘୋଷଣା କରାଯାଇଛି। ଏହା ସହିତ ସେହି ସ୍ଥାନରେ ଏକ ବିଜ୍ଞାପନ ଲଗାଯାଇ ସେଠାରେ ଅସ୍ଥାୟୀଭାବେ ନିର୍ମାଣ କରିଥିବା ସମସ୍ତ ନିର୍ମାଣକୁ ମଧ୍ୟ ଖାଲି କରାଯିବା ନିମନ୍ତେ ନିର୍ଦ୍ଦେଶନାମା ରହିଛି। ଏହା ନକଲେ ୭ଦିନ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି। ଏହାପରେ ଇତି ମଧ୍ୟରେ ଏଠାରେ ବିଭିନ୍ନ ପ୍ରକାରର ନିର୍ମାଣ କରି ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନେ ଚିନ୍ତାରେ ରହିଥିବା ସୂଚନା ମିଳିଛି।

ସବୁଠାରୁ ବଡ଼ କଥା ହେଉଛି ମହାନଗର ନିଗମ ପକ୍ଷରୁ କେବେ ଓ କିଏ ଏହି ସ୍ଥାନରେ ଫୁଡ୍‌ କୋର୍ଟ ଚାଲିବା ନିମନ୍ତେ ଘୋଷଣା କରିଥିଲେ ସେ ନେଇ କୌଣସି ଲିଖିତ ସୂଚନା ନାହିଁ। ଆମର ସୂଚନା ମୁତାବକ ଏଠାରେ ଫୁଡ୍‌କୋର୍ଟ ଚାଲିବା ନିମନ୍ତେ କୁଆଡ଼େ ମୌଖିକ ବାର୍ତ୍ତା  ପ୍ରାୟ ୬ମାସ ପୂର୍ବେ ଦିଆଯାଇଥିଲା। ଏହାପରେ ପ୍ରାୟ ୪୦ରୁ ଅଧିକ ବିଭିନ୍ନ ବ୍ୟବସାୟୀ ଏଠାରେ ଠେଲା ଓ ଜରିପାଲ ଆଦି ଲଗାଇ ବ୍ୟବସାୟ କରିଆସୁଥିଲେ। ଏଥିପାଇଁ କୌଣସି ଲିଖିତ ଆଦେଶ ବା ବିଜ୍ଞାପନ ବା ସୂଚନା ନ ଥିଲା।

ଅନ୍ୟପକ୍ଷରେ ଏହି ସ୍ଥାନରେ ପ୍ରତିଦିନ ସନ୍ଧ୍ୟା ସମୟରେ ଗଞ୍ଜେଇ ଠାରୁ ନେଇ ଅନେକ ଅବକାରୀ ସେବନ ଏକ ନିତିଦିନିଆ ଘଟଣା ହୋଇଯାଇଥିଲା। ଘଟଣାସ୍ଥଳରୁ ଅନତି ଦୂରରେ ମହାନଗର ନିଗମର କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ଏହା ସହିତ ଉଦିତ ନଗର ଥାନା ମଧ୍ୟ ଏହି ସ୍ଥାନରୁ ଅନତି ଦୂରରେ ରହିଛି। ଏହା ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ଗତ ମାସ ମାସ ଧରି କାହା ଇଙ୍ଗିତ ଓ ଛତ୍ରଛାୟା ତଳେ ବେଆଇନଭାବେ ଏହି ଫୁଡ୍‌କୋର୍ଟ ଚାଲୁଥିଲା ତାହା ଅନୁସନ୍ଧାନ ସାପେକ୍ଷ। ସେହିଭଳି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୪ଦିନ ପୂର୍ବେ ଏହି ସ୍ଥାନରେ ଗଞ୍ଜେଇ ଓ ଅନ୍ୟାନ୍ୟ ଅବକାରୀ ସେବନକୁ ନେଇ ପୋଲିସ ଚଢ଼ାଉ ହୋଇଥିଲା।

ଏହି ସମୟରେ କିଛି ନିରୀହ ବ୍ୟକ୍ତିଙ୍କ ସମେତ ଜଣେ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ରଙ୍କୁ ଉଦିତ ନଗର ପୋଲିସ ଥାନା କର୍ମୀ ଜବରଦସ୍ତି ଉଠାଇ ନେଇଥିଲେ। ଏହାକୁ ନେଇ ଅନେକ ଅଭିଯୋଗ ଓ ସମାଲୋଚନା ହୋଇଥିଲା। ଏହାର ଠିକ୍‌ ୪ଦିନ ପରେ ମହାନଗର ନିଗମର ଘୋଷଣା ଓ ବିଜ୍ଞପ୍ତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏଠାରେ ପ୍ରଶ୍ନଉଠୁଛି ଯେ, କାହା ପ୍ରରୋଚନା ଓ ନିର୍ଦ୍ଦେଶରେ ଏହି ସ୍ଥାନରେ ମାସ ମାସ ଧରି ବେଆଇନଭାବେ ଦୋକାନ ଚାଲୁଥିଲା।  

Leave a Reply

Your email address will not be published. Required fields are marked *

error: Content is protected !!