ରାଉରକେଲା ବିମାନ ବନ୍ଦରରେ ଆଇଏଲ୍‌ଏସ୍‌ ପାଇଁ ଶାସନ ସଚିବଙ୍କ ଚିଠି

1 min read
Spread the love

ରାଉରକେଲା-ଭୁବନେଶ୍ବର-ରାଉରକେଲା ବିମାନସେବା ସମ୍ପ୍ରତି ଏକାଧିକ ସମସ୍ୟା ଦେଇ ଗତି କରୁଛି। ବିଶେଷକରି ଏଠାରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌) ବ୍ୟବସ୍ଥା ସ୍ଥାପିତ ହୋଇନଥିବାରୁ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି। ପାଣିପାଗ ଖରାପ ହେଲେ ବିମାନ ଚଳାଚଳ ବାତିଲହେଉଛି। ନିୟମିତ ବ୍ୟବଧାନରେ ହେଉଥିବା ଅଘୋଷିତ ବାତିଲ, ବିମାନ ଅବତରଣ କରିନପାରିବା ଯୋଗୁଁ ଯାତ୍ରୀ ସଂଖ୍ୟା ୫୦ ପ୍ରତିଶତରୁ କମି ସାରିଛି। ଏହାକୁ  ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଏବଂ ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଇଏଲ୍‌ଏସ୍‌ ସ୍ଥାପନ କରିବାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ-ଏଏଆଇକୁ ପତ୍ର ଲେଖିଛନ୍ତି। ଶ୍ରୀମତି ପାଢ଼ୀ ଏଏଆଇ ଅଧକ୍ଷ ସଞ୍ଜୀବ କୁମାରଙ୍କ ନିକଟକୁ ଲେଖିଥିବା ପତ୍ରରେ ରାଉରକେଲା ଓ ଜୟପୁର ବିମାନବନ୍ଦରରେ ଆଇଏଲ୍‌ଏସ ସ୍ଥାପନ ପାଇଁ ଅଗ୍ରାଧିକାର ଦେବାକୁ ନିବେଦନ କରିଛନ୍ତି। ସଂପ୍ରତି ରାଉରକେଲା ବିମାନବନ୍ଦର ୨ସି ମାନ୍ୟତା ପାଇଥିବାବେଳେ ଜୟପୁର ବିମାନବନ୍ଦର ୨ବି ମାନ୍ୟତାପ୍ରାପ୍ତ। ଏଠାରେ ଆଇଏଲ୍‌ଏସ ବ୍ୟବସ୍ଥା ନ ଥିବାରୁ ରାତ୍ରିକାଳୀନ ବିମାନ ଅବତରଣ ସମ୍ଭବ ହେଉନି। ଏଣୁ ଯଥାଶୀଘ୍ର ମାଷ୍ଟର ପ୍ଲାନିଂ, ଜମି ଆବଶ୍ୟକତା, ପ୍ରସ୍ତାବିତ ଲ୍ୟାଣ୍ଡିଂ ଓ ସହାୟତା ସମ୍ପର୍କିତ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉ। ଏହାସହ କ୍ୟାଟେଗୋରି-୧ ଆଇଏଲ୍ଏସ୍ ରାତ୍ରି ଅବତରଣ ସୁବିଧା, ଆଇଏଏଲ୍‌, ମୋଟ୍‌ ବ୍ୟୟ ଅଟକଳ ଦାଖଲ କରିବାକୁ ନିବେଦନ କରାଯାଇଛି। ରାଉରକେଲା ବିମାନବନ୍ଦର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଯୁକ୍ତିପରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ଆଶା ସୃଷ୍ଟି ହୋଇଛି।

ଗତ ମାର୍ଚ୍ଚ ୨୫ ତାରିଖରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବିମାନବନ୍ଦରର ବିଭିନ୍ନ ସମସ୍ୟା ବିଷୟରେ ଏଏଆଇର ଦୃଷ୍ଟି ଆକର୍ଷଣ କରିଥିଲେ। ରାଉରକେଲାରେ ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ‘ବିର୍ସା ମୁଣ୍ଡା ହକି ଷ୍ଟାଡିଅମ୍‌’, ରାଉରକେଲା ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି), ଇସ୍ପାତ ପୋଷ୍ଟ୍‌  ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ସୁପରସ୍ପେଶିଆଲିଟି ହସପିଟାଲ, ହାଇଟେକ୍‌ ମେଡିକାଲ କଲେଜ ସମେତ ଏକାଧିକ ଶିଳ୍ପ କାରଖାନା ରହିଥିବାରୁ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ବିମାନ ଅବତରଣ ବ୍ୟବସ୍ଥା, ଭୁବନେଶ୍ବର-ରାଉରକେଲା ବ୍ୟତିତ ଅନ୍ୟାନ୍ୟ ସହରକୁ ବିମାନ ସଂଯୋଗ, ରାଉରକେଲା ବିମାନବନ୍ଦରକୁ ୩ସି ମାନ୍ୟତା, ଆର୍‌ଏସ୍‌ପି ପ୍ରଦତ୍ତ ଅବଶିଷ୍ଟ ୧୧୧ଏକର ଜମିରଉପଯୋଗ କରିବାକୁ ନିବେଦନ କରାଯାଇଥିଲା। ଅନ୍ୟପକ୍ଷରେ ରାଉରକେଲା ବିମାନ ବନ୍ଦରର ମାଲିକାନା ଏବେ ମଧ୍ୟ ସେଲ୍‌, ଆର୍‌ଏସପି ଅଧୀନରେ ରହିଥିବାରୁ ଏହି ବିମାନ ବନ୍ଦରର ଉନ୍ନତୀକରଣ କରିବାରେ ଅସୁବିଧା ହେଉଛି ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!