ଦିଲ୍ଲୀପ ତିର୍କୀ କ୍ରୀଡ଼ା ଗବେଷଣା ଫାଉଣ୍ଡେସନ ଓ ଜେଏସ୍ପି ଫାଉଣ୍ଡେସନ ମିଳିତ ସହଯୋଗରେ ହକି ପାଇଁ ଏକପାଦ ଆଗକୁ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ସେକ୍ଟର-୫ ଠାରେ ଥିବା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ଠାରେ ଦିଲ୍ଲୀପ ତିର୍କୀ କ୍ରୀଡ଼ା ଗବେଷଣା ଫାଉଣ୍ଡେସନ ଓ ଜେଏସ୍ପି ଫାଉଣ୍ଡେସନ ମିଳିତ ସହଯୋଗରେ ହକି ପାଇଁ ଏକପାଦ ଆଗକୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ହକି ଇଣ୍ଡିଆର ସଭାପତି ତଥା ବରିଷ୍ଠ ହକି ଖେଳାଳୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁସାରକାନ୍ତି ବେହେରା, ବିଧାୟକ ସୁବ୍ରତ ତରାଇ, ଆର୍ଏସପିର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀଙ୍କ ସମେତ ଜିନ୍ଦର ଷ୍ଟିଲ୍ ଏଣ୍ଡ ପାୱାରର ସିଏସ୍ଆର୍ ବିଭାଗର ସଭାପତି ପ୍ରଶାନ୍ତ କୁମାର ହୋତା ଉପସ୍ଥିତ ଥିଲେ।

ଏହି ଅବସରରେ ଅନ୍ୟତମ ଆକର୍ଷଣ ଥିଲେ କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ସୁପୁତ୍ର ତଥା ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳୀ ଅଶୋକ କୁମାର। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ପାଞ୍ଚହଜାର ଛୋଟ ଛୋଟ ହକି ଖେଳାଳୀଙ୍କୁ ହକି ବାଡ଼ି ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କୁ ହକି ଖେଳ ପ୍ରତି ଆଗ୍ରହୀ ଓ ଆକୃଷ୍ଟ କରାଇବା ଖେଳ ନିମନ୍ତେ ବିଭିନ୍ନ ସାହାଯ୍ୟ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।