ଅଂଶୁଘାତରେ ଚାଲିଗଲେ ଅଙ୍ଗନବାଡ଼ି ଦିଦି : କ୍ଷତିପୂରଣ ଦାବିରେ ଶବ ରଖି ଧାରଣା

1 min read
Spread the love

ପ୍ରଚଣ୍ଡ ତାତିରେ କାର୍ଯ୍ୟରତ ଜଣେ ଅଙ୍ଗନବାଡ଼ି ଦିଦିଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି କୁଆରମୁଣ୍ଡା ବ୍ଲକ୍‌ କାଦୋବାହାଲ ପଞ୍ଚାୟତ ଘୁଣ୍ଟିଛାପଲ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ମେରିରୋସଲିଆ ଟପ୍ପୋ(୫୬)। ବ୍ଲକ୍‌ ଅଙ୍ଗନବାଡ଼ି କର୍ମୀ ସଂଘର ଅଭିଯୋଗ ଅନୁସାରେ, ମେରି ଛୁଆଙ୍କୁ କେନ୍ଦ୍ରରେ ପାଠ ପଢ଼ାଇବା ସହ ପଛୁଆ ବର୍ଗ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତାଙ୍କର କେନ୍ଦ୍ର କାଦୋବାହାଲ ହାଇସ୍କୁଲରେ ଥିବାରୁ ସେ ପ୍ରତିଦିନ ଘୁଣ୍ଟିଛାପଲରୁ କାଦୋବାହାଲ ପ୍ରାୟ ୭ କିଲୋମିଟର ଖରାରେ ଯିବାଆସିବା କରୁଥିଲେ। ତାଙ୍କୁ କାଦୋବାହାଲ ବସ୍ତିର ଘରକୁଘର ବୁଲି ସର୍ଭେ କାର୍ଯ୍ୟ କରିବାକୁ ପଡୁଥିଲା। ଗୁରୁବାର ମେରି ଖରାରେ ସର୍ଭେ କରୁଥିବାବେଳେ ଅସୁସ୍ଥ ଅନୁଭବ କରିବା ସହ ଅଂଶୁଘାତ ଲକ୍ଷଣ ଜାଣି ଘରକୁ ଫେରି ଘରୋଇ ଉପଚାର କରିଥିଲେ। ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାରଲୋକେ ତାଙ୍କୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ରାଏବଗା ପୁଲିସ ପହଞ୍ଚିଥିଲା। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବାବେଳେ ମେରିଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି। ରାଜ୍ୟ ଅଙ୍ଗନବାଡ଼ି ସଂଘ ଉପସଭାପତି କିଶୋରୀ ପଣ୍ଡା, କୁଆରମୁଣ୍ଡା ବ୍ଲକ୍‌ ସଂଘ ସଭାପତି ମଞ୍ଜୁଲତା ଟପ୍ପୋ, ସମ୍ପାଦିକା ବିଲଚେର ଟପ୍ପୋଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଶୁକ୍ରବାର ସକାଳେ ଡାକ୍ତରଖାନାରେ ପହଞ୍ଚିଥିଲେ। ସରକାରୀ ବାବୁମାନଙ୍କ ମନଇଚ୍ଛା କାର୍ଯ୍ୟ ପାଇଁ ମେରିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ଚାକିରି ଦାବି ନେଇ ଶବରଖି ଧାରଣା ଦେଇଥିଲେ। ଏ ସମ୍ପର୍କରେ ଖବରପାଇ କୁଆରମୁଣ୍ଡା ବିଡିଓ ତୃପ୍ତି ବରେଇ, ବୀରମିତ୍ରପୁର ତହସିଲଦାର ସୁଶାନ୍ତ ବେହେରା, କୁଆରମୁଣ୍ଡା ସିଡିପିଓ ଆନାସ୍ଥେସିଆ ଲାକ୍ରା ପ୍ରମୁଖ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅପରାହ୍ନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାସିନୀ ଚକ୍ର, ବିଡିଓ ଶ୍ରୀମତୀ ତରେଇ, ତହସିଲଦାର ଶ୍ରୀ ବେହେରା ଓ ସିଡିପିଓ ଶ୍ରୀମତୀ ଲାକ୍ରାଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କ ସହ ପୁଣି ଆଲୋଚନା ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟହେଲେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଓ ପରିବାରର ଯୋଗ୍ୟ ପ୍ରାର୍ଥୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ସୁପାରିସ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ଏହା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପକ୍ଷରେ ସମ୍ପ୍ରତି ସାରା ଓଡ଼ିଶା ଖରାତାତିରେ କଲବଲ ହେଉଥିବାବେଳେ ପଶ୍ଚିମ ଓଡ଼ିଶା ଜଳୁଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳର ତାପମାତ୍ରା ୪୩ ଡିଗ୍ରି ପାର୍‌ କରିଛି। ସୁନ୍ଦରଗଡ଼ ଜିଲ୍ଲା ତତଲା କରେଇରେ ସନ୍ତୁଳି ହେଉଛି। ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସାରା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକଲେଜ ଆଗତୁରା ଛୁଟି ଘୋଷଣା କରିଛନ୍ତି ସରକାର। ଅଂଶୁଘାତ ପାଇଁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରାଯାଉଛି। କିନ୍ତୁ ବିଡ଼ମ୍ବନା ହେଉଛି ଅଙ୍ଗନବାଡ଼ିର କୁନିକୁନି ଛୁଆଙ୍କ ପାଇଁ ଖରାତାତି ବାଧକନୁହେଁ ବୋଲି ସରକାର ଭାବୁଛନ୍ତି। କାରଣ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିଥିବାବେଳେ ତାତିରେ ସିଝୁଛନ୍ତି କଅଁଳ ଶିଶୁ। ଏହା ସହିତ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ପିଲାଙ୍କ କଥା ବୁଝିବା ପରେ ଅଙ୍ଗନବାଡ଼ି ଦିଦିମାନଙ୍କୁ ଦିଆଯାଇଛି ସର୍ଭେ କାମ। ପ୍ରଚଣ୍ଡ ତାତିରେ ସର୍ଭେ କରୁଥିବାବେଳେ ସେମାନେ ଅଂଶୁଘାତର ଶିକାର ହେବା କଥା ବୋଧହୁଏ ରାଜଧାନୀର ଶୀତତାପ ନିୟନ୍ତ୍ରିତ କୋଠରୀରେ ବସୁଥିବା ସରକାରୀ ବାବୁମାନେ ଜାଣି ପାରିନାହାଁନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ବିରମିତ୍ରପୁର ଅଞ୍ଚଳର ଘୁଣ୍ଟିଛାପଲ ଅଙ୍ଗନବାଡ଼ି କେନ୍ଦ୍ରର ଦିଦିଙ୍କ ଜୀବନ ଅଂଶୁଘାତରେ ଯାଇଛି ବୋଲି ଅଭିଯୋଗ କରିଛି ଅଙ୍ଗନବାଡ଼ି କର୍ମୀ ସଂଘ। ସୂଚନା ମୁତାବକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସରକାରଙ୍କ ପକ୍ଷରୁ ଗ୍ରୀଷ୍ମ ଅବକାଶ ଦିଆଯାଇନାହିଁ। ଅଙ୍ଗନବାଡ଼ି କର୍ମୀମାନେ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ କେନ୍ଦ୍ରରେ ପାଠ ପଢ଼ାଇବା ସହ ସରକାରଙ୍କ ନିର୍ଦେଶକ୍ରମେ ପଛୁଆ ବର୍ଗ ସର୍ଭେରେ ନିୟୋଜିତ ହୋଇଛନ୍ତି। ପ୍ରଥମେ ଏହି ସର୍ଭେ ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିଲା। କିନ୍ତୁ କିଛିଦିନ ପରେ ସରକାରୀ ନିର୍ଦ୍ଦେଶ ମୁତାବକ ଏହି ସର୍ଭେ ଘରକୁ ଘର ବୁଲି କରାଯାଉଛି। ଏହି ସର୍ଭେ କାର୍ଯ୍ୟ ଅଙ୍ଗନବାଡ଼ି କର୍ମୀମାନେ ମୁଖ୍ୟତଃ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!