ଆର୍ଏସପି ପକ୍ଷରୁ ସମନ୍ବୟ ଅଧିବେଶନରେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ଉଦ୍ବୋଧନ
1 min read
“ମିଳିତ ରୂପେ ଆମେ ସମୃଦ୍ଧି ହାସଲ କରିପାରିବା,” ବୋଲି ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟର ଠାରେ ଆୟୋଜିତ ‘ସମନ୍ଵୟ’ ଅଧିବେଶନରେ ଠିକା ସେବା ପ୍ରଦାନକାରୀଙ୍କୁ ଉଦବୋଧନ ଦେଇ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ କହିଛନ୍ତି। ଏହି ଅବସରରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ୍ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ଖଣି ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ପି କେ ରଥ, ଅର୍ଥ ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଏ କେ ବେହୁରିଆ ଏବଂ କାରଖାନାର ବିଭିନ୍ନ ବିଭାଗର ଅଧିକାରୀ ତଥା କଣ୍ଟ୍ରାକ୍ଟର ଆସୋସିଏସନର ପ୍ରତିନିଧି ତଥା ଆରଏସପିରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ବହୁ କଣ୍ଟ୍ରାକ୍ଟର ଉପସ୍ଥିତ ଥିଲେ।
ନିଜର ଉଦଘାଟନୀ ଅଭିଭାଷଣରେ ଶ୍ରୀ ଭୌମିକ ଚୁକ୍ତିଭିତ୍ତିକ ସେବା ପ୍ରଦାନକାରୀଙ୍କୁ ପ୍ରଗତିର ସହଯାତ୍ରୀ ଭାବରେ ପ୍ରଶଂସା କରିଥିଲେ ଯେଉଁମାନେ ଆରଏସପିର ଅଭିବୃଦ୍ଧି ଏବଂ ବିକାଶରେ ବିପୁଳ ଯୋଗଦାନ ଦେଇଛନ୍ତି। “ଆମର କାର୍ଯ୍ୟ ସଂପର୍କରେ ଅଧିକ ସଂହତି ଆଣିବା ପାଇଁ ଆମେ ଦ୍ୱିତୀୟ ଥର ପାଇଁ ‘ସମନ୍ଵୟ’ କାର୍ଯ୍ୟକ୍ରମର ଆୟୋଜନ କରୁଛୁ। ୨୦୨୨ ସେପ୍ଟେମ୍ବର ମାସରେ ଆମର ପ୍ରଥମ ବୈଠକ ପରେ, ଆମେ ଅନେକ ବ୍ୟବସ୍ଥାଗତ ଉନ୍ନତି ସାଧିତ କରିବା ସହ ପ୍ରକ୍ରିୟାର ଡିଜିଟାଇଜେସନ୍ ମଧ୍ୟ କରିଛୁ ଯାହା ବ୍ୟବସାୟିକ ଦେଣନେଣକୁ ଅଧିକ ବ୍ୟବସ୍ଥିତ କରିବା ସଙ୍ଗେସଙ୍ଗେ ବିଶ୍ବାସ ଏବଂ ସ୍ୱଚ୍ଛତାରେ ବୃଦ୍ଧି ଆଣିଛି,” ବୋଲି ଶ୍ରୀ ଭୌମିକ ଉଲ୍ଲେଖ କରିଥିଲେ। ଶ୍ରୀ ଭୌମିକ ଆରଏସପିରେ ଆଗାମୀ ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ବିଷୟରେ ମଧ୍ୟ ଆଲୋଚନା କରିଥିଲା ଏବଂ ସେବା ପ୍ରଦାନକାରୀଙ୍କୁ ସେମାନଙ୍କ ମାନବ ସମ୍ବଳଙ୍କ ଦକ୍ଷତାରେ ଅଧିକ ବିକାଶ କରିବାକୁ ଆହ୍ଵାନ ଦେଇଥିଲେ ଯାହା ଦ୍ଵାରା ନୂତନ ୟୁନିଟ୍ ଗୁଡିକରେ ବ୍ୟବହୃତ ହେବାକୁ ଥିବା ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇହେବ।

ଏହି ଅବସରରେ ଶ୍ରୀ ସୁର୍ଯ୍ୟବଂଶୀ କହିଥିଲେ ଯେ ବ୍ୟବସାୟିକ ସହଭାଗୀ ରୂପେ ଚୁକ୍ତିଭିତ୍ତିକ ସେବା ପ୍ରଦାନକାରୀମାନେ ଆରଏସପିର ୬୦ ବର୍ଷରୁ ଅଧିକ ଯାତ୍ରା ସମୟରେ ପ୍ରଶଂସନୀୟ ଅବଦାନ ରଖିଛନ୍ତି। “ଆମ ଭିତରେ ଯେଉଁ କିଛି ସମସ୍ୟା ରହିଛି, ଯାହାକୁ ସମନ୍ଵୟ କାର୍ଯ୍ୟକ୍ରମରେ ସିଣ୍ଡିକେଟ୍ ଆଲୋଚନା ସମୟରେ ପ୍ରତ୍ଯକ୍ଷ ଆଲୋଚନା କରାଯାଇପାରିବ। ବୋଲି କହିଥିଲେ। ନିଜର ବକ୍ତବ୍ୟରେ ପି କେ ଶତପଥୀ ୧୫୧ ବର୍ଷ ପୂର୍ବେ କାର୍ଯ୍ୟକ୍ଷମ ହୋଇଥିବା ଭାରତୀୟ କଣ୍ଟ୍ରାକ୍ଟ ଅଧିନିୟମ ବିଷୟରେ ଉଲ୍ଲେଖ କରିଥିଲେ। ପିଆର କୁ ପିଓ ରେ ରୂପାନ୍ତର କରିବାର ପ୍ରକ୍ରିୟାର ଶୂକ୍ଷ୍ମ ବିଷୟାବଳୀ ବିଷୟରେ ଆଲୋଚନା କରି ଶ୍ରୀ ଶତପଥୀ କାରଖାନାର ଦୀର୍ଘମିଆଦୀ ଲାଭ ପାଇଁ ଚୁକ୍ତିଭିତ୍ତିକ ଏଜେନ୍ସିଗୁଡ଼ିକ ସହିତ ସିଧାସଳଖ ଯୋଗାଯୋଗ ପ୍ରୟାସ ନିମନ୍ତେ ଶ୍ରୀ ଅତନୁ ଭୌମିକଙ୍କୁ ଧନ୍ୟବାଦ ଦେଇଥିଲେ। ଶ୍ରୀ ସାହୁ ନିଜର ବକ୍ତବ୍ୟରେ ସମନ୍ଵୟ ଭଳି ଯୋଗାଯୋଗ ପ୍ରୟାସ ବ୍ୟବସାୟକୁ ଅଧିକ ସରଳ ଓ ସୁବିଧାଜନକ କରିବ ବୋଲି ମତବ୍ୟକ୍ତ କରିଥିଲେ। ସେ ମଧ୍ୟ ଦେଣନେଣ ପଦ୍ଧତିକୁ ସରଳ ଏବଂ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ ହେବା ନିମନ୍ତେ ସେବା ପ୍ରଦାନକାରୀଙ୍କୁ ଅନୁରୋଧ କରି ସୋମନାଥ ତ୍ରିପାଠୀ ଜିଇଏମ୍ ପୋର୍ଟାଲରେ ତଥା ଏସଆରଏମ ପ୍ଲାଟଫର୍ମରେ ବିଡ୍ ଦାଖଲ ପ୍ରକ୍ରିୟାରେ ହୋଇଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ତଥ୍ୟ ରଖିଥିଲେ। ଶ୍ରୀ ରଥ ତାଙ୍କର ସମ୍ବୋଧନରେ ସ୍କୋପ ଅଫ ୱାର୍କ ଓ ଏଷ୍ଟିମେଟର ସଠିକ ପ୍ରସ୍ତୁତି, ଚୁକ୍ତିନାମା କ୍ଳୋଜର ଏବଂ ନୂତନ ଧାରଣା ଓ ଚିନ୍ତାଧାରାର ଅନ୍ତର୍ଭୁକ୍ତ ଆଦି ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ବେହୁରିଆ ନିଜର ବକ୍ତବ୍ୟରେ ବ୍ୟବସାୟ ସହଭାଗୀମାନଙ୍କ ସହ କାରବାର କରୁଥିବାବେଳେ ସମନ୍ୱୟ, ସହଯୋଗ ଏବଂ ସହଭାଗିତା ହେଉଛି ୩ଟି ମୌଳିକ ଆବଶ୍ୟକତା ଏବଂ ଆସ୍ଥା ସୃଷ୍ଟି କରନ୍ତୁ କାରଣ ଏହି କେବଳ ସମ୍ପର୍କ ଜିଣିବା ପାଇଁ ନୁହଁ, ବରଂ ସହଭାଗିତା ପାଇଁ ଅଟେ ବୋଲି କହିଥିଲେ।

ପ୍ରାରମ୍ଭରେ କାର୍ମିକ ବିଭାଗର ମହାପ୍ରବନ୍ଧକ ସଞ୍ଜୟ ମେହରୋତ୍ରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ମିକ ବିଭାଗର ମ୍ୟାନେଜର, ସୁଶ୍ରୀ ସଙ୍ଗୀତା ମାରିଆ ସିନ୍ଦୁର ଉଦଘାଟନୀ ଅଧିବେଶନ ସଂଯୋଜନା କରିଥିଲେ। ପରବର୍ତ୍ତୀ ଅଧିବେଶନରେ ସିସିଡବ୍ଲୁ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ଦେବଦତ୍ତ ଶତପଥୀ, ସୁରକ୍ଷା ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ଆଶା କାର୍ଥା, ବିତ୍ତ ବିଭାଗର ମହାପ୍ରବନ୍ଧକ ଅଶ୍ଵିନୀ ସାହୁ ଏବଂ କାର୍ମିକ ବିଭାଗର ବରିଷ୍ଠ ପରିଚାଳକ ଅବିନାଶଙ୍କ ଦ୍ୱାରା ଉପସ୍ଥାପନା ପ୍ରସ୍ତୁତ କରାଯାଇଥିଲା। ଏହାପର ଅଧିବେଶନରେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ବିଷୟାବଳୀ ଯଥା ବିଲ କ୍ଲିୟରେନ୍ସ, କଣ୍ଟ୍ରାକ୍ଟ ଏଷ୍ଟିମେସନ, କଣ୍ଟ୍ରାକ୍ଟ ସମ୍ପାଦନା, ଅର୍ଥ ଓ ସୁରକ୍ଷା, କଣ୍ଟ୍ରାକ୍ଟ ସର୍ତ୍ତାବଳୀ ଆଦି ବିଷୟରେ ସିଣ୍ଡିକେଟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ମାନସ ମନ୍ଥନ ପରେ ଦଳଗୁଡିକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ।