ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ ବାସୀପଖାଳ ଖାଇ ୩୨ ଛାତ୍ରୀ ଅସୁସ୍ଥ

1 min read
Spread the love

ରାଜ୍ୟରେ ଜନଜାତି କଲ୍ୟାଣ ବିଭାଗ ବିଦ୍ୟାଳୟଗୁଡିରେ ଅବ୍ୟବସ୍ଥା ଚର୍ଚ୍ଚା ବଢ଼ିବାରେ ଲାଗିଛି। କେ‌ତେବେଳେ ଗରମ ଡାଲି ପଡ଼ି ଅନ୍ତେବାସୀଙ୍କ ଜୀବନ ଗଲାଣି ତ କେତେବେଳେ ବାସୀ ଖାଦ୍ୟ ଖାଇ ଅନ୍ତେବାସୀ ଅସୁସ୍ଥ ହୋଇ ପଡ଼ୁଛନ୍ତି। ମଙ୍ଗଳବାର ଏଭଳି ଏକ ଘଟଣା କୋଇଡ଼ା ବ୍ଲକ୍‌ର ସୋୟମ୍ବା ସେବାଶ୍ରମ ବିଦ୍ୟାଳୟରେ ହୋଇଥିବା ଜଣାପଡ଼ିଛି। ‌ସୋୟମ୍ବା ସେବାଶ୍ରମର ଛାତ୍ରୀ ନିବାସରେ ବାସୀ ପଖାଳ ଖାଇ ୩୨ରୁ ଊର୍ଦ୍ଧ୍ବ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ କମରପୋଷ ବଲାଙ୍ଗ ବା କ ବଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମଙ୍ଗଳବାର କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ବାଳିକା ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ନିବାସରେ ଛାତ୍ରୀମାନେ ପଖାଳ ଭାତ ଓ ଆଳୁ ଭଜା ଖାଇବା ପରେ ସେମାନଙ୍କର ପେଟବଥା ଆରମ୍ଭ ହୋଇଥିଲା। ଏହାପରେ ଝାଡ଼ାବାନ୍ତି ସହିତ କିଛି ଛାତ୍ରୀଙ୍କର ମୁଣ୍ଡ ବ୍ୟଥା ହୋଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ରାତିରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ୨୨ ଜଣ ଛାତ୍ରୀଙ୍କୁ ଏବଂ ପରେ ଆଉ ୩ ଜଣଙ୍କୁ ଆଣି କ ବଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୁଧବାର ସକାଳୁ ପୁଣି ୭ ଜଣ ଛାତ୍ରୀଙ୍କୁ ଆଣି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କ ବଲାଙ୍ଗ ଏକ ଛୋଟ ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିବାରୁ ସଯ୍ୟା ସଂଖ୍ୟା କମ୍‌ ଥିଲା।

ଏହାଫଳରେ ଛାତ୍ରୀଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ସୋୟମ୍ବା ବାଳିକା ବିଦ୍ୟାଳୟର ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ପୁରୁଣା ଛାତ୍ରୀନିବାସରେ ଛାତ୍ରୀମାନେ ଗୋଟିଏ ହଲ୍‌ରେ ପାଖାପାଖି ୧୫୦ ଜଣ ଛାତ୍ରୀ ବଡ଼ ସମସ୍ୟା ମଧ୍ୟରେ ରହୁଥିଲେ। ଛାତ ଉଚ୍ଚତା କମ ଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ଛାତ୍ରୀମାନେ କହିଛନ୍ତି। ଏପରିକି ଛାତ୍ରୀମାନେ ରହୁଥିବା ହଲ୍‌ରେ ପଙ୍ଖା ମଧ୍ୟ ଅଚଳ ହୋଇ ପଡିଥିବା ଛାତ୍ରୀମାନେ କହିଛନ୍ତି। ଘଟଣା ସମ୍ପର୍କରେ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସନତ କୁମାର ପଶୁପାଳକଙ୍କୁ ପଚାରିବାରୁ ଚିକିତ୍ସା ପରେ ଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି୤ ଅନ୍ୟପକ୍ଷରେ ଛାଟ୍ରୀମାନେ ରହୁଥିବା ହଲ୍‌ରେ ୭ ଗୋଟି କୁଲର ଲଗାଯିବା ସହିତ ସମସ୍ତଙ୍କ କୋଭିଡ୍ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି୤

Leave a Reply

Your email address will not be published. Required fields are marked *

error: Content is protected !!