ଆଦର୍ଶ ପାଠାଗାର ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ଆୟୋଜିତ

1 min read
Spread the love

ରାଉରକେଲା ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଆଦର୍ଶ ସାହିତ୍ୟ ଘର ପରିସରରେ ଆୟୋଜିତ ହୋଇଛି ବିଷୁବ ମିଳନ କାର୍ଯ୍ୟକ୍ରମ୤ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ବିଶିଷ୍ଟ ସାମାଜିକ କର୍ମୀ ଓ କବି ପିତାମ୍ବର ତରାଇଙ୍କୁ ବିଷୁବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି୤ ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଚିକିତ୍ସକ ଡାକ୍ତର ଉତ୍ତମ ଚରଣ ଜେନା ଯୋଗଦେଇ ଓଡ଼ିଆ କେବେ ଗରିବ ହୋଇପାରେନା, ଆମେ ସବୁବେଳେ ଗରିବ ବୋଲି କହିବା ବନ୍ଦ କରିବା ପାଇଁ ଆହ୍ବାନ ଦେଇଥିଲେ୤ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସମ୍ପାଦକ ଅଶୋକ ବଳ୤ ସମ୍ପାଦକ ସୁକାନ୍ତ କୁମାର ଖୁଣ୍ଟିଆ ଗତ ୨୦୦୨ ମସିହାରୁ ପାଠାଗାର ପକ୍ଷରୁ ଆରମ୍ଭ ହୋଇଥିବା ବିଷୁବ ମିଳନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ୤ ସମ୍ବର୍ଦ୍ଧିତ କବି ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ ବହି ମଣିଷର ପ୍ରକୃତ ବନ୍ଧୁ ବୋଲି କହିବା ସହିତ ଗୋଟିଏ ବ୍ୟକ୍ତି, ଦେଶ ବା ଜାତିକୁ ପରିବର୍ତ୍ତନ କରିବାରେ ବହି ଓ କବିର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ୤ ଏହା ସହିତ ଖାରବେଳଙ୍କ ସମୟରୁ ଓଡ଼ିଆମାନେ ପଣାସଂକ୍ରାନ୍ତିକୁ ପାଳନ କରିଆସୁଛନ୍ତି ବୋଲି ଐତିହାସିକ ତଥ୍ୟ ମାଧ୍ୟମରେ ଆଲୋଚନା କରିଥିଲେ୤ ମାଟି, ମାତୃଭୂମି ଓ ମାତୃଭାଷା ପ୍ରତି ସମସ୍ତ ଓଡ଼ିଆ ଚିନ୍ତା କରିବା ଆବଶ୍ୟକ ବୋଲି କହିବା ସହ ସାରା ବିଶ୍ବରେ ଓଡ଼ିଆ ଭାଷାର ଗୁରୁତ୍ବ ସମ୍ପର୍କରେ ଉଦାହରଣ ଦେଇ ସାରଳା ଦାସ ଓ ଓଡ଼ିଆ ଭାଗବତର ପ୍ରଚାର ଓ ପ୍ରସାର ଓଡ଼ିଆମାନଙ୍କ ବିଶେଷ ପରିଚୟ ବୋଲି କହିଥିଲେ୤ ଏହି କାର୍ଯ୍ୟକ୍ରମରେ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ସ୍ବସ୍ବାଦୁ ପଣା ମାଧ୍ୟମରେ ଅପାୟିତ କରାଯାଇଥିଲା୤ କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ୤ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସହରର ବିଭିନ୍ନ ବର୍ଗର କବିମାନଙ୍କ ଦ୍ବାରା ସ୍ବରଚିତ କବିତା ପାଠ କରାଯାଇଥିଲା୤ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଆଦର୍ଶ ପାଠାଗାରର କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!