ଅମ୍ରିତ ଷ୍ଟେସନ୍ ଯୋଜନାରେ ପାନପୋଷ ଓ ବିମଳାଗଡ଼ ରେଳ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ
1 min read
ଅମ୍ରିତ ଷ୍ଟେସନ୍ ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ଷ୍ଟେସନର ନବୀକରଣ ଓ ଅଣ୍ଡର ପାସ୍ ରାସ୍ତା ନିର୍ମାଣ କରାଯାଉଛି। ରାଜ୍ୟରେ ୫୭ଟି ପ୍ରକଳ୍ପକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଶୀଳାନ୍ୟାସ କରିଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ପାନପୋଷ ଓ ବିମଳାଗଡ଼ ରେଳ ଷ୍ଟେସନ ଅନ୍ତର୍ଭୁକ୍ତ। ୧୯.୩୨ କୋଟି ବିନିଯୋଗରେ ଉଭୟ ରେଳଷ୍ଟେସନ ନବୀକରଣ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର ସର୍ବପୁରାତନ ପାନପୋଷ ଷ୍ଟେସନରେ ମୋଟ୍ ୧୧ କୋଟି ୪ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏଠାରେ ଥିବା ଷ୍ଟେସନର ସମ୍ମୁଖ ଭାଗର ନବୀକରଣ ସହ ନୂଆ ରୂପ ଦିଆଯିବ। ଏତଦ୍ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ଆନୁସଙ୍ଗିକ ସେବା ଉପଳବ୍ଧ ରହିବ। ୧୨ ମିଟର ଚଉଡ଼ା ବିଶିଷ୍ଟ ଫୁଟ୍ ଓଭରବ୍ରିଜ୍, ୨ଟି ଲିଫ୍ଟ, ଟ୍ରେନ୍, କୋଚ୍ ବିଷୟରେ ସୂଚନା ପ୍ରଦାନ ପାଇଁ ଏଲଇଡି ସାଇନବୋର୍ଡ, ପ୍ଲାଯ୍ଫର୍ମ ଚଟାଣର ଉନ୍ନତି, ଦୁଇଟି ଅତିରିକ୍ତ ପ୍ଲାଟ୍ଫର୍ମ ସେଲଟର୍ ଆଦି ନିର୍ମାଣ କରାଯିବ। ପାନପୋଷ ଠାରେ ଥିବା ସର୍ବପୁରାତନ ଅଣ୍ଡର ୱେ ରାସ୍ତା ପାଇଁ ପୂର୍ବରୁ ୧୦ କୋଟି ଅର୍ଥ ମଞ୍ଜୁର ହୋଇସାରିଛି। ସେହିଭଳି ବିମଳାଗଡ଼ ରେଳ ଷ୍ଟେସନ ମଧ୍ୟ ଏକ ନୂଆ ରୂପ ପାଇବ। ଏଠାରେ ୮.୨୮ କୋଟି ଟଙ୍କା ବ୍ୟୟ କରାଯିବ। ଏଠାରେ ମଧ୍ୟ ଅନୁରୂପଭାବେ ଷ୍ଟେସନର ପୁନଃନିର୍ମାଣ, ବିଲ୍ଡିଂ ସମ୍ମୁଖ ଭାଗର ସୌନ୍ଦର୍ଯ୍ୟୀକରଣ, ୧୨ ମିଟର ଚଉଡ଼ା ବିଶିଷ୍ଟ ପାଦଚଳା ଓଭରବ୍ରିଜ, ୨ଟି ଲିଫ୍ଟ, ଏଲ୍ଇଡି ସାଇନବୋର୍ଡ, ୨ଟି ପ୍ଲାଟ୍ଫର୍ମ ସେଲଟର୍ ଆଦି ନିର୍ମାଣ କରାଯିବ।

ଧନ୍ୟବାଦ ଜଣାଇଲା ପାନପୋଷ ବିଜେପି
ସ୍ଥାନୀୟ ପାନପୋଷ ଷ୍ଟେସନରଠାରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଶୀଳାନ୍ୟାସ ପର୍ବର ସିଧାପ୍ରସାରଣ କରାଯାଇଥିଲା। ଏଥିରେ ରେଳବାଇ ଅଧିକାରୀ, ସ୍ଥାନୀୟ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ। ଦୀର୍ଘଦିନ ଧରି ପାନପୋଷ ଓ ବିମଳାଗଡ଼ବାସୀଙ୍କ ଦାବିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦୁଇ ପ୍ରକଳ୍ପର ଶୀଳାନ୍ୟାସ କରିଛନ୍ତି। ଏହାଦ୍ବାରା ପାନପୋଷ ଓ ବିମଳାଗଡ଼ବାସୀ ବହୁମାତ୍ରାରେ ଉପକୃତ ହେବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ, ସାଂସଦ ଜୁଏଲ ଓରାମଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରେଳବାଇର ବରିଷ୍ଠ ଡିଏମ୍ଇ ପଞ୍ଚାନନ ବେହେରାଙ୍କ ସମେତ ବହୁ ଅଧିକାରୀ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ବରିଷ୍ଠ ନେତା ନିହାର ରାୟ, ବଣିକ ସଂଘ ସଭାପତି ସୁନୀଲ କାୟଲ, ରମେଶ ଅଗ୍ରୱାଲ, ରାମଅବତାର ଅଗ୍ରୱାଲ, ଶ୍ରମିକନେତା ରତନ ପଣ୍ଡା, ରୋଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।