ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
1 min read
ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଅଧ୍ୟକ୍ଷତା କରିଥିଲେ। ସେ ମୁଖ୍ୟତଃ ଢେଙ୍କାନାଳ ଦେଇଯାଇଥିବା ୫୫ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ କହିଥିଲେ । ଏହା ସହିତ ଯେ ପର୍ଯନ୍ତ ରାଜପଥ କାମ ସରିନାହିଁ ସେତେ ପର୍ଯ୍ୟନ୍ତ ଯେଉଁ ରାସ୍ତା ଅଛି ତାହାର ଠିକ ସମୟରେ ମରାମତି କରିବାକୁ କହିଥିଲେ । ବୈଠକ ରେ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଜିଲ୍ଲାରେ ଟ୍ରକ ଟରମିନାଲ ନିର୍ମାଣ କରିବା ନେଇ ଗୁରୁତ୍ୱାରୋପ କରିଥିଲେ । ବୈଠକ ରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ଜିଲ୍ଲାରେ ପୂର୍ବବର୍ଷ ଅପେକ୍ଷା ଏ ବର୍ଷ ସଡ଼କ ଦୁର୍ଘଟଣା ର ମାତ୍ର କମିଛି ବୋଲି ରିପୋର୍ଟ ପ୍ରଦର୍ଶିତ କରିଥିଲେ । ରିପୋର୍ଟ ଅନୁଯାୟୀ ୨୦୨୨ ରେ ମୋଟ ୪୬୧ ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୫ ଜଣ ମୃତ୍ୟୁ ବରଣ କରିଥିବାବେଳେ ୩୩୮ ଜଣ ଆଘାତପ୍ରାପ୍ତ ହେଇଥିଲେ । ମାତ୍ର ୨୦୨୩ ରେ ଏଯାବତ ୩୩୭ ଟି ଦୁର୍ଘଟଣା ଘଟିଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ହେଇଛି ଏବଂ ୩୪୭ ଜଣ ଆଘାତପ୍ରାପ୍ତ ହେଇଛନ୍ତି । ଏହି ବୈଠକ ରେ ସଡ଼କ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଛି ଏହାସହିତ ଯେଉଁ ସ୍ଥାନରେ ସାଇନ ବୋର୍ଡ ଲାଗିନାହିଁ ସେ ସବୁ ଜାଗା ମାନଙ୍କରେ ତୁରନ୍ତ ଲଗେଇବାକୁ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ସଡ଼କ ସୁରକ୍ଷା କମିଟି ର ସଦସ୍ୟ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।