‘ସାହିତ୍ୟ ହେଉଛି ଉତ୍ତର ନଥିବା ପ୍ରଶ୍ନ’ : ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଚତୁର୍ଥ ଅର୍ଘ୍ୟ

1 min read
Spread the love

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଚାଲିଥିବା ‘ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ଚତୁର୍ଥ ଅର୍ଘ୍ୟ କାର୍ଯ୍ୟକ୍ରମରେ ‘ଅଶୀ ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟ’ ଶୀର୍ଷକ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ବିଭାଗୀୟ ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ଡ. ଗୌରହରି ଦାସ ଏଥିରେ ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ଶୀର୍ଷକ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ପ୍ରତିକ ସମୟରେ ସାହିତ୍ୟର ଧାରା ଓ ଦିଗ ପରିବର୍ତ୍ତନଶୀଳ ଥିଲାବେଲେ ସାହିତ୍ୟ କାହାପାଇଁ ତାହା ଆଲୋଚନାର ବିଷୟ ବୋଲି ପ୍ରଫେସର ଡ. ବେହେରା କହିଥିଲେ ।

ଡ. ଦାସ ‘ସବୁ ମଣିଷ ସବା ଶେଷରେ ଗପ ହୋଇଯାଇଥାଏ’ ବୋଲି କହିବା ସହ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ଗଳ୍ପ ପଢ଼ିବା ସମୟରେ ତାହା ସତଭଳି ଲାଗୁଥିଲେ ହିଁ ତାହା ଗଳ୍ପକୁ ସାର୍ଥକ କରିଥାଏ । ୧୮୯୮ ମସିହାର ରେବତୀ ଗଳ୍ପରୁ ଆରମ୍ଭ ହୋଇଥିବା ୧୨୫ବର୍ଷର ଓଡ଼ିଆ ଗଳ୍ପ ସାହିତ୍ୟର କ୍ରମବିକାଶ ପ୍ରସଙ୍ଗରେ ଡ. ଦାସ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ସାହିତ୍ୟ ହେଉଛି ମଣିଷର ସମାନ୍ତରାଳ ଇତିହାସ । ମଣିଷର ହୃଦୟ ମଧ୍ୟରେ ଆବେଗକୁ ନିୟନ୍ତ୍ରଣ କରିବାରେ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ସାହିତ୍ୟ ହେଉଛି ଉତ୍ତର ନଥିବା ଗୋଟିଏ ପ୍ରଶ୍ନ । ଅଶୀଦଶକର ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟରେ ମଣିଷର ଦୁଃଖ, ଦୁର୍ଦ୍ଦଶା, ସୁଖ, ପ୍ରେମ, ସମସ୍ୟା ଓ ସାମ୍ଭାବ୍ୟ ସମାଧାନ ପ୍ରମୁଖ ପ୍ରସଙ୍ଗ ସହିତ ବାମାବାଦ ବା ନାରୀବାଦକୁ ଗୁରୁତ୍ବ ଦିଆଯାଇଛି ବୋଲି ଡ. ଦାସ କହିଥିଲେ । ସାହିତ୍ୟ ହେଉଛି ସବୁ ଭଲକାଳର ସମ୍ବାଦ ।

ଅଶୀ ପରର ଓଡ଼ିଆ ଗଳ୍ପ ସମ୍ପର୍କରେ ଡ ଦାସ ବିଭିନ୍ନ ଆଲୋଚନା କରିବା ସହ ଅଭିଜ୍ଞତା ନିଆଁରେ ଆଙ୍ଗୁଳି ନପୋଡ଼ିଲେ ଏବଂ ବାସ୍ତବ ଅନୁଭୂତି ନ ହେଲେ ଗଳ୍ପ ଲେଖିବା ଅସମ୍ଭବ ବୋଲି କହିଥିଲେ। ବିଭାଗୀୟ ମୁଖ୍ୟ ଡ. ସୁଷମା ମୋଦୀ ଏଭଳି ବକ୍ତୃତା ଆୟୋଜନ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ବିଷୟ ସମ୍ପର୍କୀତ ଜ୍ଞାନର ସୀମାକୁ ବ୍ୟାପକ କରାଯିବାର ଏକ ଅନନ୍ୟ ମାଧ୍ୟମ ବୋଲି କହିଥିଲେ । ବିଭାଗୀୟ ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଅନ୍ୟତମ ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତି ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ଏହି ଅବସରରେ ଡ. ଦାସଙ୍କୁ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଏହାର ଉତ୍ତର ପାଇଥିଲେ । ବିଭାଗୀୟ ଅଧ୍ୟାପକ ସୁବନାଥ ଶା’ ଙ୍କ ସମେତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଭାଗୀୟ ଅଧ୍ୟାପକ ବିଶ୍ବଜିତ ଦାସ ଓ ଦିପ୍ତିମୟୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଥମ ଓଡ଼ିଆ ଗଳ୍ପ ‘ରେବତୀ’ ର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରେବତୀ ଗଳ୍ପ ଆଧାରରେ ଏକ କ୍ଷୁଦ୍ର ନାଟିକା ପରିବେଷିତ ହୋଇଥିଲା ଏହା ସହିତ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!