ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ଆପୋଲୋ ହସ୍ପିଟାଲ୍ ସହିତ ରାଉରକେଲା ଇସ୍ପାଟ ଟ୍ରଷ୍ଟର ସହଭାଗିତା
1 min read
ରାଉରକେଲା ଇସ୍ପାତ ଟ୍ରଷ୍ଟ -ଆରଆଇଟି ଏବଂ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ୍ (ଆଇପିଜି ଏବଂ ଏସ୍ଏସ୍ଏଚ୍) ର କାର୍ଯ୍ୟକାରିତା ପାଇଁ ସହଭାଗିତାର ଆନୁଷ୍ଠାନିକ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ଓ ବୋକରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଆରଆଇଟି ପରିଚାଳନା ବୋର୍ଡର ଅଧ୍ୟକ୍ଷ ଅତନୁ ଭୌମିକ, ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡକ୍ତର ଶୁଭଙ୍କର ମହାପାତ୍ର, ଆପୋଲୋ ହସ୍ପିଟାଲ୍ ଗୃପ ସ୍ୱାସ୍ଥ୍ୟସେବା ସିନିୟର ଭାଇସ ପ୍ରେସିଡେଣ୍ଟ ଡକ୍ଟର ରୋହିଣୀ ଶ୍ରୀଧର, ଆପୋଲୋ ହସ୍ପିଟାଲ୍ ଗୃପ ଅର୍ଥ ଓ ଲେଖା ବିଭାଗର ସିନିୟର ଭାଇସ ପ୍ରେସିଡେଣ୍ଟ, ଡକ୍ଟର ଆର କୃଷ୍ଣ କୁମାର, ଓଡିଶା ସରକାରଙ୍କ ସୁନ୍ଦରଗଡ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଧରଣୀ ରଂଜନ ଶତପଥୀ, ଏବଂ ଆପୋଲୋ ହସ୍ପିଟାଲ୍ ଆଇପିଜିଆଇ ଓ ଏସଏସଏଚର ସିଓଓ, ଅବସରପ୍ରାପ୍ତ କର୍ଣ୍ଣଲ ଡକ୍ଟର ସଜଲ ସେନ୍ ମଞ୍ଚାସୀନ ଥିଲେ। ରାଉରକେଲା ଓ ଆଖପାଖ ଅଞ୍ଚଳବାସୀଙ୍କ ପରିବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଏବଂ ଏହି ଅଞ୍ଚଳରେ ସୁପର ସ୍ପେସିଆଲିଟି ସୁବିଧା ଅଭାବକୁ ଦୃଷ୍ଟିରେ ରଖି ଇସ୍ପାତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଅତ୍ୟାଧୁନିକ ସୁବିଧା ସହିତ ସ୍ଥାପିତ ହୋଇଥିଲା ବୋଲି ଶ୍ରୀ ଭୌମିକ କହିଥିଲେ। ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଅଗ୍ରଣୀ ଏବଂ ରୋଗୀଙ୍କୁ ସର୍ବଶ୍ରେଷ୍ଠ ଚିକିତ୍ସାସେବା ଯୋଗାଇଦେବାରେ ସୁନାମ ଅର୍ଜନ କରିଥିବା ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଏହି ଡାକ୍ତରଖାନା ପରିଚାଳନା ଭାର ତୁଲାଇବା ଏହି ସମଗ୍ର ଅଞ୍ଚଳ ପାଇଁ ଏକ ଆଶୀର୍ବାଦ ସଦୃଶ ହେବ ବୋଲି ସେ କହିଥିଲେ। । ସୁଲଭ, ସୁଗମ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଡାକ୍ତରଖାନା ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିପାରିବ ବୋଲି ଶ୍ରୀ ଭୌମିକ କହିଥିଲେ। ଡାକ୍ତର ମହାପାତ୍ର ତାଙ୍କ ଅଭିଭାଷଣରେ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦ୍ୱାରା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅପରେସନ୍ ଆରମ୍ଭ ହେବା ଏହି ଅଞ୍ଚଳର ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ଦୃଷ୍ଟିରୁ ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ। ଡାକ୍ତରଙ୍କ ମଧ୍ୟରେ ସହାନୁଭୂତିର ମହତ୍ତ୍ଵ ଏବଂ ସ୍ୱାସ୍ଥ୍ୟସେବାର ସଫଳତା ସୁନିଶ୍ଚିତ କରିବାରେ ସହାୟକ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଡାକ୍ତର ଧରଣୀ ରଂଜନ ଶତପଥୀ ତାଙ୍କର ବକ୍ତବ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ଉନ୍ନତତର ସ୍ୱାସ୍ଥ୍ୟସେବା ସୁବିଧାର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିବା ବେଳେ ଡାକ୍ତର ରୋହିଣୀ ଶ୍ରୀଧର ଏହି ନୂତନ ସ୍ୱାସ୍ଥ୍ୟ ସୁବିଧାରେ ଥିବା ଅତ୍ୟାଧୁନିକ ଭିତ୍ତିଭୂମିର ଉଚ୍ଚ ପ୍ରଶଂସା କରିବା ସହ ପ୍ରାକୃତିକ ସଂଭାର ଭରା ଏହି ସବୁଜ ସୁନ୍ଦର ନିର୍ମଳ ସହରରେ ଏହା ଏକ ସ୍ଵତନ୍ତ୍ର ଉପସ୍ଥିତି ପ୍ରତିଷ୍ଠା କରିବ ବୋଲି ଆଶା ପ୍ରକଟ କରିଥିଲେ। ଦାକ୍ତର କୃଷ୍ଣ କୁମାର ରାଉରକେଲାରେ ଏହି ଉନ୍ନତ ସ୍ୱାସ୍ଥ୍ୟସେବା ସ୍ଥଳୀର ବିକାଶ ବିଷୟରେ କହିଥିଲେ ଏବଂ ଏହି ଅଞ୍ଚଳର ଲୋକଙ୍କ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ଏହାର ମହତ୍ତ୍ଵକୁ ଦର୍ଶାଇଥିଲେ। ଆପୋଲୋ ହସ୍ପିଟାଲ ଏବଂ ଏହାର ଅତ୍ୟାଧୁନିକ ସ୍ୱାସ୍ଥ୍ୟସୁବିଧା ଉପରେ ଏକ କ୍ଷୁଦ୍ର ଭିଡିଓ ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା। ଜାତୀୟ ସଂଗୀତ ଗାନ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଡକ୍ଟର ସଜଲ ସେନ୍ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସୂଚନା ମୁତାବକ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ୨୯୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଏକାଧିକ ସୁପର ସ୍ପେସିଆଲିଟି ଯଥା କାର୍ଡିଆକ୍ ସାଇନ୍ସ,, ନ୍ୟୁରୋ ସାଇନ୍ସ,, ଆଡଭାନ୍ସ ଅର୍ଥୋପେଡିକ୍ସ, ଅଙ୍କୋଲୋଜି ଏବଂ ୟୁରୋଲୋଜି, ନେଫ୍ରୋଲୋଜି, କ୍ରିଟିକାଲ କେୟାର ଇତ୍ୟାଦି ସେବା ଯୋଗାଇ ଦେବ। ହସ୍ପିଟାଲରେ ୨୫ ଜଣ ଫୁଲ୍ ଟାଇମ୍ କ୍ଲିନିକାଲ୍ ବିଶେଷଜ୍ଞଙ୍କ ଟିମ୍ ରହିଛି । ସେମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ଡ୍ୟୁଟି ଡାକ୍ତର ଏବଂ କୁଶଳୀ ନର୍ସିଂ କର୍ମଚାରୀ ରହିଛନ୍ତି। ଏହି ଘରୋଇଓ ସରକାରୀ ସହଭାଗିତା ମାଧ୍ୟମରେ ପଶ୍ଚିମ ଓଡିଶା ଅଞ୍ଚଳବାସୀ ଆୟୁଷ୍ମାନ ଭାରତ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯୋଜନାରେ ଉପକୃତ ହେବେ। ଏହା ବ୍ୟତୀତ ଡାକ୍ତରଖାନା ସ୍ମାର୍ଟ ଏବଂ ଉନ୍ନତ ଜରୁରୀକାଳୀନ ସେବା ମଧ୍ୟ ପ୍ରଦାନ କରୁଛି ଯାହାକି ରୋଗୀଙ୍କୁ ସେମାନଙ୍କ ବାସଘର ଦ୍ୱାରରୁ ତ୍ଵରିତ ଉନ୍ନତତର ଚିକିତ୍ସାସେବା ଯୋଗାଇଦେବ। ଜରୁରୀକାଳୀନ ସେବାରେ ଜିପିଏସ୍-ସକ୍ଷମ ଉନ୍ନତତର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଅନ୍ତର୍ଭୁକ୍ତ ରହିଛି ଯାହା ଆପୋଲୋର କେନ୍ଦ୍ରୀୟ ଜରୁରୀକାଳୀନ ନମ୍ବର – ୧୦୬୬ ମାଧ୍ୟମରେ କାର୍ଯ୍ୟରେ ଲାଗିବ ବୋଲି ସୂଚନା ଦିଆଯାଇଛି।