ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳିତ
1 min read
ସାରା ବିଶ୍ଵକୁ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୪ ତମ ଜନ୍ମ ତିଥି ଗାନ୍ଧୀ ଜୟନ୍ତୀ ରାଉରକେଲାଠାରେ ଭଜନ, ସର୍ବ ଧର୍ମ ସମନ୍ଵୟର ପାର୍ଥନା ଏବଂ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ସ୍ମୃତିଚାରଣ ସହ ପାଳିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସିଭିକ ସେଣ୍ଟର ଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ସ୍ବଚ୍ଛତା ପକ୍ଷ- ସ୍ବଚ୍ଛତା ହିଁ ସେବା ଅଭିଯାନ ମଧ୍ୟ ପାଳିତ ହେଉଛି ଯେଉଁଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଉତ୍ସାହସହକାରେ ଅଂଶଗ୍ରହଣ କରୁଛନ୍ତି। ରାଉରକେଲାର ବହୁ ବିଶିଷ୍ଟ ବ୍ୟକ୍ତି ଗାନ୍ଧୀଜୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେମାନଙ୍କ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକଙ୍କ ସମେତ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ,ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଡାକ୍ତର ବି କେ ହୋତା, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ତରୁଣ ମିଶ୍ର, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆଲୋକ ବର୍ମା ଏବଂ ଆରଏସପିର ଅନ୍ୟ ବରିଷ୍ଠ ଅଧିକାରୀ, ଓଡିଶା ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଉରକେଲା ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସହରର ସୁପରିଚିତ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ ଏବଂ ସିଂହାରୀ କଳା ନିକେତନର କଳାକାରଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭଜନ ବୈଷ୍ଣବ ଜନତୋ ସଙ୍ଗୀତ ପରିବେଷଣ ସହିତ ସମାରୋହ ଆରମ୍ଭ ହୋଇଥିଲା।

ଏକ ସର୍ବଧର୍ମ ସଦଭାବନା ସଭା ଉକ୍ତ ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଗୁରୁ ସିଂହ ସଭାର ସଦସ୍ୟଙ୍କ ଦ୍ଵାରା ପବିତ୍ର ଗୁରୁ ଗ୍ରନ୍ଥ ସାହେବ, ସେକ୍ରେଡ଼ ହାର୍ଟ କାଥେଡ୍ରାଲ ଚର୍ଚ୍ଚ ହମୀରପୁରର ସଦସ୍ୟଙ୍କ ଦ୍ଵାରା ପବିତ୍ର ବାଇବେଲ, ଇସ୍ପାତ ଅଞ୍ଜୁମନ, ସେକ୍ଟର -୧୫ ର ସଦସ୍ୟଙ୍କ ଦ୍ଵାରା ପବିତ୍ର କୋରାନ ଏବଂ ଚିନ୍ମୟ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ଵାରା ପବିତ୍ର ଭଗବତ ଗୀତାରୁ କିଛି ପଂକ୍ତିର ଆବୃତ୍ତି ଓ ବାପୁଙ୍କର ଅତି ପ୍ରିୟ “ରାମଧୁନ”ର ଗାନ ସମାରୋହର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ଗୁରୁ ଶ୍ରୀ ନରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗାନ୍ଧାର କୋମଳ ଏକାଡେମୀର କଳାକାରଙ୍କ ଦ୍ଵାରା ସମବେତ ବଂଶୀ ବଦନ ଏବଂ ଗାନ୍ଧୀଜୀଙ୍କ ଜୀବନ ଆଦର୍ଶ ଉପରେ ସାଗର ରିଦିମସ ତରଫରୁ ଏକ ନୃତ୍ୟ ନାଟିକାର ଉପସ୍ଥାପନା ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଅଂଶ ଥିଲା।

ଲୋକ ସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିପୂର୍ବରୁ ଡ଼ିଆଇସି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ନିକଟସ୍ଥ ସୁଦୀର୍ଘ ଜାତୀୟ ପତାକା ସ୍ଥଳୀର ଅପର ପାର୍ଶ୍ଵରେ ସ୍ଥିତ ମହାତ୍ମା ଗାନ୍ଧୀ ଉଦ୍ୟାନରେ ସ୍ଥାପିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଅର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ।