ବିଶ୍ବକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ଵମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ ସମ୍ପର୍କରେ ନିଷ୍ପତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ଉଚ୍ଚ ନ୍ୟାୟାଳୟ
1 min read
ଆଡଭୋକେଟ୍ ଇଂ ଦେବାଶିଷ ହୋତାଙ୍କ କେସ୍ ଉପରେ ମାନ୍ୟବର ଓଡିଶା ହାଇକୋର୍ଟ ଆଜି ଶୁଣାଣୀ କରି ବିଶ୍ଵକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ଵମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ୩ ମାସ ମଧ୍ୟରେ ନିଷ୍ପତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ଏଠାରେ ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲା ସିଦ୍ଧାର୍ ସ୍ଥିତ ସଦାନନ୍ଦ ତତ୍ତ୍ବଜ୍ଞାନ ପରିଷଦର ମହାତ୍ମା କମଳ, ମହାତ୍ମା ଦିଲ୍ଲେଶ୍ଵରାନନ୍ଦ, ମହାତ୍ମା ଆବିଦ୍ ଆଲମ୍ ଖାନ୍, ମହାତ୍ମା ଦଶରଥ, ମହାତ୍ମା ଶିବାନନ୍ଦ, ମହାତ୍ମା ମହେନ୍ଦ୍ରାନନ୍ଦ, ମହାତ୍ମା ସେବାନନ୍ଦ, ମହାତ୍ମା ସୁଦର୍ଶନ, ନେପାଳ ପଟେଲ୍. କପିଳ ଶର୍ମା ପ୍ରମୁଖ ବିଶ୍ବର କଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ଵମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନର ନିହାତି ଆବଶ୍ୟକତା ରହିଛି ଏବଂ ବିଗତ ଦିନରେ ଏଥିପାଇଁ ଦିଲ୍ଲୀର ଜନ୍ତରମନ୍ତରରେ ପରିଷଦ ତରଫରୁ ଦୀର୍ଘ ୩ ମାସ ଧରି ଧାରଣା ଦିଆଯାଇଥିଲା। ଏହା ସତ୍ତ୍ବେ ସରକାର ବିଦ୍ୟା ତତ୍ଵମ୍ ପଦ୍ଧତିକୁ ନୂଆ ଶିକ୍ଷାନିତିରେ ସାମିଲ ନ କରାଇବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଇଂ ହୋତାଙ୍କୁ ଜଣାଇଥିଲେ। ଏଥିପାଇଁ ଇଂ ହୋତା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଗତ ୨୧ ଅଗଷ୍ଟ ୨୦୨୩ ଦିନ ଏକ କେସ ଫାଇଲ୍ କରିବା ପରେ ବିଚାରପତି ବିରଜା ପ୍ରସନ୍ନ ଶତପଥି ମାମଲାର ଶୁଣାଣୀ କରିଥିଲେ। ଏହି ସମୟରେ ଇଂ ହୋତାଙ୍କ ବଳିଷ୍ଠ ଯୁକ୍ତି ଶୁଣି ୩ ମାସ ମଧ୍ୟରେ ଆଇନ ଅନୁସାରେ ତର୍ଜମା କରି ବିଶ୍ଵକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ଵମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ନିଷ୍ପତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଂ ହୋତା ନିଜର ଯୁକ୍ତିରେ ଦର୍ଶାଇଥିଲେ ଯେ, ଗତ ୧୧ ଅଗଷ୍ଟ ୨୦୨୩ ଦିନ ମାନ୍ୟବର ସୁପ୍ରିମକୋର୍ଟ ବିଚାରପତି ଅନିରୁଦ୍ଧ ବୋଷ ଏବଂ ବିଚାରପତି ସୁଧାଂଶୁ ଧୂଳିଆ ଏକ କେସର ଶୁଣାଣୀ ସମୟରେ ଶିକ୍ଷା ଅଧିକାର ଆଇନ୍-୨୦୦୯ ର ଧାରା-୨୯ କୁ ତର୍ଜମା କରି ଶିକ୍ଷାର୍ଥୀମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧଭିତିକ ଶିକ୍ଷା ପ୍ରଦାନ କରିବା ସରକାରଙ୍କର ଦାୟିତ୍ବ ବୋଲି ବର୍ଣନା କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟାପକ ଶିକ୍ଷା ପରିଷଦ (ଏନସିଟିଇ)ର ସାମ୍ବିଧାନିକ ମୂଲ୍ୟବୋଧ ସତ୍ୟ, ଅହିଂସା, ଶାନ୍ତି, ସହଯୋଗ, ସନ୍ତୋଟତା, ସମ୍ମାନ ଓ ଦୟା ଉପରେ ଆଧାରିତ ବୋଲି ଦର୍ଶାଯାଇଛି । କିନ୍ତୁ ଉପରୋକ୍ତ ସାମ୍ବିଧାନିକ ମୂଲ୍ୟବୋଧ ଅନୁସାରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉ ନ ଥିବାରୁ ସେମାନେ ମିଛୁଆ, ଆକ୍ରାମକ, ଉତେଜିତ, ଅସହଯୋଗୀ, ବେଇମାନ୍, ଅନାଦର ଏବଂ କଠୋରତାପୁର୍ଣ ଆଚରଣ କରୁଛନ୍ତି । ଏହାଦ୍ଵାରା ମାନବ ସଭ୍ୟତା ଆଜି ଧ୍ବଂସାଭିମୁଖୀ ବୋଲି ଇଂ ହୋତା କୋର୍ଟଙ୍କ ଆଗରେ ଯୁକ୍ତି ବାଢିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ସରକାରୀ ଓକିଲବୃନ୍ଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଢୀ, ଶ୍ରୀଯୁକ୍ତ ବିକେ ପାଢୀ ଏବଂ ଶ୍ରୀଯୁକ୍ତ ଏସକେ ସାମଲ ପ୍ରମୁଖ କେସ୍ ପରିଚାଳନା କରୁଥିଲେ ।