ଜିଲ୍ଲା କଂଗ୍ରେସ ତରଫରୁ ଆଦିବାସୀ ଗୌରବ ଦିବସ ପାଳିତ : ଆଦିବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ସଂକଳ୍ପ

1 min read
Spread the love

ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ବିଶ୍ୱ ଆଦିବାସୀ ଦିବସକୁ ଆଦିବାସୀ ଗୌରବ ପର୍ବ ଭାବରେ ପାଳନ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ଓ ପ୍ରଦେଶ କଂଗ୍ରେସ କମିଟିର ନିଦ୍ଦେର୍ଶ ଅନୁଯାୟୀ ଏହି ଆଦିବାସୀ ଗୌରବ ପର୍ବ ରାଉରକେଲାର ଗୋପବନ୍ଧୁପାଲ୍ଲୀ ସ୍ଥିତ ଆଦିବାସୀ ବସ୍ତିରେ ପାଳନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ଗୋପବନ୍ଧୁପାଲ୍ଲୀ ପୋଲିସ ଫାଣ୍ଡି ସମ୍ମୁଖରେ ସମବେତ ହୋଇ ସେଠାରେ ଅବସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆଦିବାସୀ ବସ୍ତିର ଶତାଧିକ ପୁରୁଷ ଓ ମହିଳା ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଉକ୍ତ ସ୍ଥାନରୁ ବସ୍ତିର ପରିଚୟ ହଲ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳୀକୁ ପାଛୋଟି ନେଇଥିଲେ।

ସଭା ସ୍ଥଳରେ କଂଗ୍ରେସ ନେତୃବୃନ୍ଦ ପହଞ୍ଚିବା ପରେ ବସ୍ତିର ଆଦିବାସୀ ମହିଳାମାନେ ସ୍ୱାଗତ ସଙ୍ଗୀତ ଗାନ କରି ନେତୃମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ବିହାରୀଙ୍କ ଅଧ୍ୟକ୍ଷତାରେ ଆଦିବାସୀଙ୍କ ଅଧିକାର, ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ଅତ୍ୟାଚାର ଏବଂ ସେମାନଙ୍କର ସୁରକ୍ଷା ତଥା ବିକାଶକୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସଭାରେ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତି, ପୂର୍ବତନ ସଭାପତି ତଥା ପିସିସି ସଭ୍ୟ ରବି ରାୟ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପିସିସି ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ପିସିସି ସଭ୍ୟା ପ୍ରଭାତୀ ମିଶ୍ର, ସବୀର ହୁସେନ ଓ ସନ୍ତୋଷ ବିଶ୍ୱାଳ, ମହିଳା ସଭାନେତ୍ରୀ ନିରୂପମା ବଳିୟାରିସଂହ, ଯୁବ ସଭାପତି ମୋତିଲାଲ ଦୀପ, ଏସ‌୍‍ଟି ସେଲ‌୍‍ ସଭାପତି ରାଜେଶ ଟେପ୍ପା, ସେବାଦଳର ବୁଲୁ ଦାସ ପ୍ରମୁଖ ବକ୍ତବ୍ୟ ରଖି ଆଦିବାସୀଙ୍କ ଅଧିକାର, ସେମାନଙ୍କ କଳା ସଂସ୍କୃତି ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦରଗଡ ଜିଲ୍ଲାରେ ପେସା ଆଇନ୍ ଲାଗୁ ନ ହେବା, ଜଙ୍ଗଲ ଜମି ଅଧିକାରକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରିବା, ନିର୍ମାଣ ଶ୍ରମିକ ଆଇନ‌୍‍ର ସୁଫଳରୁ ଆଦିବାସୀ ଶ୍ରମିକମାନେ ବଞ୍ଚିତ ହୋଇ ଦାଦନ ଖଟିଯିବା, ଖାଦ୍ୟ ସୁରକ୍ଷା ଆଇନ୍‌ରୁ ଶତପ୍ରତିଶତ ଗରିବ ଆଦିବାସୀଙ୍କୁ ସୁଫଳ ନ ମିଳିବା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା କରି ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଥିବା ବିଜେପି-ବିଜେଡି ସରକାରର ମଧୁଚନ୍ଦ୍ରିକା ଏସବୁ ପାଇଁ ଦାୟୀ ବୋଲି କହିଥିଲେ। ଆଦିବାସୀଙ୍କ ସ୍ୱାର୍ଥରକ୍ଷା ସମେତ ସେମାନଙ୍କର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ଯାହାକିଛି ଆଇନ୍‌ ଓ କାର୍ଯ୍ୟକ୍ରମ କରାଯାଇଛି ସେସବୁ କେବଳ କଂଗ୍ରେସ କ୍ଷମତାରେ ଥିବାବେଳେ ସମ୍ଭବ ହୋଇଛି ବୋଲି ନେତୃବୃନ୍ଦ ପ୍ରକାଶ କରି ବର୍ତ୍ତମାନର ବିଜେପି ସରକାର ମଣିପୁରରେ ଆଦିବାସୀଙ୍କୁ ହତ୍ୟା କରିବା ସହିତ ଆଦିବାସୀମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଉଛନ୍ତି ବୋଲି ଅଭିଯୋଗ କରିଥିଲେ।

ବିଡମ୍ୱନାର ବିଷୟ ହେଉଛି ଏଭଳି ହୀନ କାର୍ଯ୍ୟ କରିଥିବା ବିଜେପି ସରକାରକୁ ଜାତୀୟ ସ୍ତର ଓ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ତାଙ୍କୁ ସମର୍ଥନ ଦେଉଛି। ତେଣୁ ଆଗାମୀ ଦିନରେ ଏହି ଉଭୟ ବିଜେପି-ବିଜେଡି ସରକାରକୁ ଆଦିବାସୀ ଭାଇଭଉଣୀମାନେ ଠିକଣା ଜବାବ ଦେବାକୁ ଆଜିର ଦିନରେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। ଏସ୍‌ଟି ସେଲ୍‌ର ରାଜ୍ୟ ଆବାହକ ଗଜେନ୍ଦ୍ର ତନ୍ତୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ଲକ୍‌ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଉକ୍ତ ଅଞ୍ଚଳର ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ପାତ୍ରାସ ଜୋଜୋ, ପାସ୍କାଲ ଡାଙ୍ଗ, ଆଲବ୍ରଟ ଟପ୍ନୋ, ଜନ ସୋରେନ ଓ ସାମସନ ଆଇନ୍ଦଙ୍କୁ ଆଦିବାସୀ ସମାଜ ପ୍ରତି ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ବସ୍ତିର ଆଦିବାସୀ ମହିଳାମାନେ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରି ଉପସ୍ଥିତ ଜନସମୁଦାୟକୁ ମନ୍ତ୍ରମୁଗ୍ଧ କରାଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଟିମ୍ୱର କଲୋନୀ ପର୍ଯ୍ୟନ୍ତ ଯିବା ସହିତ ସେଠାରୁ ପୁନଶ୍ଚ ଅପରପାର୍ଶ୍ୱ ରାସ୍ତା ଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ଚିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓବିସି ରାଷ୍ଟ୍ରୀୟ ସହସଂଯୋଜକ କୈଳାସ ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି କୀର୍ତ୍ତନ ଦାସ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ସରୋଜ ଲେଙ୍କା, ମୁଖପାତ୍ର ଇଂ.ଆର‌୍‍ପି ସିଂହ, ଯୁବ କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସ, ସଂଖ୍ୟାଲଘୁ ଅଧ୍ୟକ୍ଷ ଇଜାଜ ଅଖତର, ସାମାଜିକ ଗଣମାଧ୍ୟମର ସୁଧୀର ନାଥ, ସଂଖ୍ୟାଲଘୁ ରାଜ୍ୟ ସମ୍ପାଦକ ସଦାବ ଅହମ୍ମଦ, ଜିଲ୍ଲା କଂଗ୍ରେସର ପ୍ରତିମା ପାଣିଗ୍ରାହୀ, ଭାସ୍କର ଖିଲ୍ଲାର, ଡେଭିଡ ପ୍ରଧାନ, ଇଗନସ ହରୋ, ସେକ‌୍‍ ସମୀର, ରାଜୁ ପ୍ରସାଦ, ବିପିନ ଠାକୁର, ଶିବୁ ଦୀପ, ଶ୍ୟାମ ସାଗର, ରାଜ ବେହୁରିଆ, ପ୍ରଦୀପ ବେହେରା, ଦିନେଶ ବେହେରା, ସୁବଳ ବାସୁରୀ, ସାହିର ହୁସେନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!