ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ବନ ବିଭାଗ ସହଯୋଗରେ ସବୁଜିମା ବଳୟ ବିକଶିତ
1 min read
ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲା ସବୁଜିମାର ଏଭଳି ପରିଦୃଶ୍ୟ ପରିପ୍ରକାଶ କରେ ଯାହା ଅନେକ ଉଦ୍ୟାନ ସହରକୁ ମଧ୍ୟ ଇର୍ଷାନ୍ଵିତ କରିବ। ଏକଦା ଶୁଷ୍କ ଜମି ଥିବା ଅନେକ ଅଞ୍ଚଳକୁ ଓଡିଶା ସରକାରଙ୍କ ବନ ବିଭାଗର ସହାୟତାରେ ରାଉରକେଲା ଇସ୍ପାତ କାରଖାନା- ଆରଏସପି ଦ୍ୱାରା ଆୟୋଜିତ ନିରନ୍ତର ବନୀକରଣ ଏବଂ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସବୁଜିମା ଭରା ନନ୍ଦନକାନନରେ ରୂପାନ୍ତର କରାଯାଇଛି। ପାହାଡ ପରିବେଷ୍ଟିତ ତଥା ଅନେକ ପାର୍କ, ନର୍ସରୀ, ବଗିଚା ଏବଂ ସଡ଼କ ପାର୍ଶ୍ୱ ବୃକ୍ଷରୋପଣ ସହିତ ଇସ୍ପାତ ସହର ସମ୍ପ୍ରତି ପ୍ରକୃତି ପ୍ରେମୀଙ୍କୁ ବିଶେଷ ରୂପେ ଆକର୍ଷିତ କରୁଛି।

ରାଉରକେଲା ଇସ୍ପାତ କାରଖାନା ଆରମ୍ଭରୁ ରାଉରକେଲାକୁ ଏକ ସବୁଜିମା ଭରା ସହରରେ ପରିଣତ କରିବା ଦିଗରେ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛି। ଏ ପର୍ଯ୍ୟନ୍ତ ଇସ୍ପାତ କାରଖାନା ସହରାଞ୍ଚଳ ଓ କାରଖାନା ପରିସରରେ ପ୍ରାୟ ୫୨ ଲକ୍ଷ ବୃକ୍ଷରୋପଣ କରିଛି ଏବଂ ୩୪୫୧ ଏକର ଜମିରେ ଏକ ବୃହତ ସବୁଜିମାର ବଳୟ ସୃଷ୍ଟି କରିଛି। ସବୁଜିମାକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିବର୍ଷ ମୌସୁମୀ ଋତୁରେ ବୃହତ ବୃକ୍ଷରୋପଣ ଅଭିଯାନ ସମ୍ପନ୍ନ କରାଯାଉଛି। ବନୀକରଣ ଅଭିଯାନକୁ ସଫଳ କରିବା ପାଇଁ ସମ୍ପ୍ରତି ଓଡିଶା ସରକାରଙ୍କ ବନ ବିଭାଗର ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ନେତୃତ୍ୱରେ ବନ ବିଭାଗ ଦ୍ଵାରା ସେକ୍ଟର-୮ ଠାରେ କାର୍ଯ୍ୟ କରୁଥିବା ବୃହତ ନର୍ସରୀରୁ ଏଥିପାଇଁ ଚାରା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ସମସ୍ତ ରୋପିତ ଚାରାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଯୋଗାଇବାରେ ବନ ବିଭାଗ ସହାୟତା ଯୋଗାଇ ଦେଉଛି।

ଚଳିତ ବର୍ଷ ପାଇଁ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଗତ ଜୁଲାଇ ୧୩ ତାରିଖରେ ଓଡିଶା ସରକାରଙ୍କ ବନ ବିଭାଗର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡକ୍ଟର ଏ କେ ମିଶ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ ମଲ୍ଲିକ, ବନ ବିଭାଗ ଓ ଆରଏସପିର ବହୁ ବରିଷ୍ଠ ଅଧିକାରୀ ତଥା ୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକଙ୍କ ଦ୍ଵାରା ସେକ୍ଟର-୧ ଇସ୍ପାତ ବୃକ୍ଷ ବିହାରରେ ପ୍ରଥମ ଚାରା ରୋପଣ ସହିତ ଆରମ୍ଭ ହୋଇଥିଲା।

ଏହି ଅଭିଯାନ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ରାଉରକେଲା ବାସିନ୍ଦାଙ୍କ ମଧ୍ୟରେ ବହୁତ ଆଗ୍ରହ ସୃଷ୍ଟି କରିଛି। ଇସ୍ପାତ ସହରର ବିଭିନ୍ନ ବିଦ୍ୟାଳୟ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ପରିବେଶ ଉପରେ ସଚେତନତା ସୃଷ୍ଟି କରୁଛନ୍ତି। ଆରଏସପିର ବିଭିନ୍ନ ବିଭାଗର କର୍ମଚାରୀମାନେ ଇସ୍ପାତ କାରଖାନା ଏବଂ ଇସ୍ପାତ ସହର ଭିତରେ ଅବ୍ୟବହୃତ ଜମିରେ ବହୁ ସଂଖ୍ୟାରେ ଚାରା ରୋପଣ କରୁଛନ୍ତି। ସାଧାରଣ ବୃକ୍ଷରୋପଣ ବ୍ୟତୀତ ସହରାଞ୍ଚଳରେ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ରୋପଣ ସହିତ ଏଭଳି ବଗିଚାର ବିକାଶ ପାଇଁ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେଉଛି।

ଏହି ବ୍ୟାପକ ପ୍ରୟାସ ୨୨୫ ଏକର ପରିମିତ ଗ୍ରୀନ୍ ପାର୍କର ବିକାଶରେ ସାହାଯ୍ୟ କରିଛି ଯେଉଁଠାରେ ୨.୨୫ ଲକ୍ଷରୁ ଅଧିକ ବୃକ୍ଷ ରହିଛି । ଏଥିସମେତ ପ୍ରାୟ ୮୪୦୦୦ ଗଛ ଥିବା ଗ୍ରୀନ୍ ମେଡୋସ, ପ୍ରାୟ ୬୬୦୦୦ ଗଛ ଥିବା ଗ୍ରୀନ୍ ଭ୍ୟାଲି, ୨୭୦୦୦ ଗଛ ଥିବା ଲାଗୁନ୍ ପାର୍କ ଏବଂ ଏଭଳି ଅନ୍ୟାନ୍ୟ ଅନେକ ଉଦ୍ୟାନର ବିକାଶ ଇସ୍ପାତ ସହରକୁ ସବୁଜ ସହରରେ ରୂପାନ୍ତରିତ କରିଛି।