ଇସ୍ପାତ ଜେନେରାଲ ହସ୍ପିଟାଲ ଠାରେ ବିଶ୍ଵ ରକ୍ତଦାତା ଦିବସ ପାଳନ ଉପଲକ୍ଷେ ରକ୍ତଦାନ ଶିବିର

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଜୁନ ୧୪ ତାରିଖରେ ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଉତ୍ସବରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଡାକ୍ତର ବିରଞ୍ଚି କୁମାର ହୋତା ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଉତ୍ସବରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ବିଭାଗର ସିଏମଓ, ଡାକ୍ତର ନାରାୟଣ ପ୍ରସାଦ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସିଆଇଏସଏଫ କମାଣ୍ଡାଣ୍ଟ ଅଶୋକ ଜଲୱାନିଆ, ଆଇଜିଏଚ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ ସେଣ୍ଟରର ମୁଖ୍ୟ ଡାକ୍ତର ପଙ୍କଜ କୁମାର ଦାସ, ଆସ୍ଥା ସାମାଜିକ ସଙ୍ଗଠନର ସଭାପତି ବିଷ୍ଣୁ ମୋହନ ମିଶ୍ର, ଜୀବନ ଜ୍ୟୋତି ସ୍ଵେଚ୍ଛାସେବୀ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ମୋତିଲାଲ ମହାନ୍ତ ସାମିଲ ଥିଲେ।   

 

ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଓ ଡକ୍ଟର କାର୍ଲ ଲାଣ୍ଡଷ୍ଟେନରଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଧୁନିକ ଚିକିତ୍ସା ବିଜ୍ଞାନରେ ରକ୍ତ ବର୍ଗୀକରଣର ବିକାଶ ସାଧନ କରିଥିବା ଡକ୍ଟର କାର୍ଲ ଲାଣ୍ଡଷ୍ଟେନରଙ୍କ ଜନ୍ମତିଥିକୁ ସାରା ପୃଥିବୀରେ ବିଶ୍ଵ ରକ୍ତଦାତା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ସମସ୍ତଙ୍କୁ ରକ୍ତଦାନ ପାଇଁ ଏକ ଶପଥ ପାଠ ଗ୍ରହଣ କରଯାଇଥିଲା ।

ମୁଖ୍ୟ ଅତିଥି ଡକ୍ତର ହୋତା ରକ୍ତଦାତାମାନଙ୍କୁ ସମାଜରେ ସେମାନଙ୍କର ଅମୂଲ୍ୟ ଯୋଗଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଡକ୍ତର ସାହୁ ଚଳିତ ବର୍ଷ ବିଶ୍ୱ ରକ୍ତଦାତା ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଡକ୍ଟର ହୋତା କାର୍ଯ୍ୟକ୍ରମ ଅବସରରେ ନିୟମିତ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଆରଏସପିର ୫ ଜଣ କର୍ମଚାରୀ ରହିଥିଲେ।

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆସ୍ଥାର ସଭାପତି, ଶ୍ରୀ ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର କନସଲ୍ଟାଣ୍ଟ, ଡକ୍ଟର ପଙ୍କଜ କୁମାର ଦାସ ବିଗତ ବର୍ଷର ରକ୍ତଦାନର ଏକ ପରିସଙ୍ଖ୍ୟାନ ଉପସ୍ଥାପନା କରିଥିଲେ ଏବଂ ରକ୍ତଦାନକୁ ପ୍ରୋତ୍ସାହନ ନିମନ୍ତେ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ ସେଣ୍ଟର ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରିଥିଲେ।  ଆସ୍ଥାର ସମ୍ପାଦକ ଆଲୋକ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ। ଡାକ୍ତର ପ୍ରତିଭା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସ୍ବେଛାସେବୀ ରକ୍ତଦାତାଙ୍କ ଠାରୁ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ୨୨ ଜଣ ସିଆଇଏସଏଫ ଯବାନମାନେ ମଧ୍ୟ ରକ୍ତଦାନ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ସ୍ୱୀକୃତି ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!