ଢେଙ୍କାନାଳରେ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
1 min read
ଢେଙ୍କାନାଳ ଜିଲ୍ଲା ପରିଷଦର ସଭାଗୃହରେ’ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଅଧ୍ୟକ୍ଷତା କରି ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି ଯେ. ଶିଶୁମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ମିଳିବା ଉଚିତ । ୬ ବର୍ଷରୁ ୧୪ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ବିଦ୍ୟାଳୟ ଯିବା ଆବଶ୍ୟକ । ଯେଉଁମାନେ ବିଦ୍ୟାଳୟକୁ ଯାଉନାହାଁନ୍ତି କିମ୍ବା ଅଧାରୁ ପାଠପଢା ଛାଡି ଦେଉଛନ୍ତି ସେମାନଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇଆଣିବା ଦାୟିତ୍ବ ପ୍ରଶାସନର । ଏହାସହ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ଭଳି କାର୍ଯ୍ୟକୁ ବନ୍ଦ କରିବାପାଇଁ ଗୁରୁତ୍ବାରୋପ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ରାଜ୍ୟ ସରକାର ପିଲାମାନଙ୍କ ପାଇଁ ଅନେକ ଯୋଜନାମାନ କରିଛନ୍ତି । ସମସ୍ତଙ୍କୁ ମାଗଣା ପୃଷ୍ଠିକର ମଧ୍ୟାହ ଭୋଜନ ଯୋଗାଇ ଦିଆଯାଉଛି । ଏହାସହ ପଢିବା ପାଇଁ ବହି ଏବଂ ବିଦ୍ୟାଳୟ ପୋଷାକ ମଧ୍ୟ ଯୋଗାଇ ଦିଆଯାଉଛି । ତତ୍ସହିତ ୫ଟି ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତରଣ ହେବା ଫଳରେ ପିଲାମାନେ ଗୁଣଯୁକ୍ତ ଶିକ୍ଷା ଲାଭ କରିପାରୁଛନ୍ତି । ବୈଠକର ପରିଚାଳନା ୟୁନିସେଫ ତଥା ଆକ୍ସନ ଏଡ୍ ଜିଲ୍ଲା ସଂଯୋଜିକା ଶ୍ରୀମତି ଅଙ୍ଗୁର ମିଶ୍ର ବୈଠକର ପରିଚାଳନା କରିଥିଲେ । ସେ ପିପିଟି ମାଧ୍ୟମର କାର୍ଯ୍ୟକ୍ରମର ସଫଳତା ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମର ସଫଳତା ବିଷୟରେ ସେ କହିଥିଲେ ଯେ, ୨୦୨୩ ଜାନୁଆରି ରୁ ଜୁଲାଇ ମଧ୍ୟରେ ଜିଲ୍ଲାରେ ୩୦ଟି ବାଲ୍ୟବିବାହ ରୋକାଯାଇଛି । ୯୦୮ ଝିଅଙ୍କୁ ବିବାହ ସହାୟତା ରାଶି ବାବଦ ୪୪୮୨୫୦୦୦ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ୫୪ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ପାଇଁ ସହାୟତା ରାଶି ୪୬୨୪୪୦୦ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାରେ ୩୨ଟି ନିଯୁକ୍ତି ମେଳାକରାଯାଇଛି ଯେଉଁଥିରେ ୬୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାସହ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି । ତାସହିତ ଦୁର୍ଗମ ଅଂଚଳ ମାନଙ୍କରେ ମଧ୍ୟ ଲୋକମାନଙ୍କୁ ବାଲ୍ୟବିବାହ ସମ୍ପର୍କରେ ସଚେତନ କରାଯାଉଛି । ବୈଠକରେ ଯୋଗଦେଇ ଶିଶୁ କଲ୍ୟାଣ ସମିତିର ଚେୟାରମ୍ୟାନ ଶ୍ରୀ ପୁଷ୍ପକ ତ୍ରିପାଠୀ କହିଛନ୍ତି ଯେ, ଅଧିକରୁ ଅଧିକ ଶିଶୁ ମାନଙ୍କୁ କିପରି ପୋଷ୍ୟ ସନ୍ତାନ ଅନ୍ତର୍ଭୁକ୍ତ କରାଯାଇପାରିବ ସେ ଦିଗରେ ଚେଷ୍ଟା କରିବା ଉଚିତ ।
ଏହି ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ମିତା ଶର୍ମା ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।